Home » Column » ସ୍ମୃତିର କାନଭାସ୍ ରେ ନନ୍ଦିନୀ ଶତପଥୀ
nandini

ସ୍ମୃତିର କାନଭାସ୍ ରେ ନନ୍ଦିନୀ ଶତପଥୀ

🏵 କଥା {୧} :
ପିଲାଦିନୁ ଆମଘରେ ମୁଁ ଆମିଷ ଖାଏନା ।
୧୯୭୫ ମସିହାରେ ମୁଖ୍ୟମନ୍ତ୍ରୀ ଥିଲାବେଳେ ଥରେ ମୁଁ କୋରାପୁଟ ଯାଇଥିଲି । ସେତେବେଳେ ‘ ପ୍ରଜାତନ୍ତ୍ର ‘ ଗୋଟେ ନ୍ୟୁଜ୍ ଛାପିଥିଲା ଯେ –
” ନନ୍ଦିନୀ ଦେବୀ ଗୋଟେ ହରିଣର ମାଂସ ପୁରା
ଖାଇଦେଲେ । “
ସେମାନେ ସିରିଅସଲି ଏକଥା ଲେଖିଥିଲେ । କେତେକଥା ତ ମୋ ବିଷୟରେ ଲେଖନ୍ତି !! [ ମୁଁ ତାଙ୍କୁ ପଚାରିଲି- ଆପଣ କେବେ ପ୍ରତିବାଦ କରିଛନ୍ତି କି ? ମୋ କଥା ଶୁଣି ସେ ଉତ୍ତର ଦେଲେ- ପ୍ରତିବାଦ କରିବା କ’ଣ ଦରକାର ? ପ୍ରତିବାଦ କରି କିଛି ଲାଭ ହିଁ
ନାହିଁ । ] ମୁଁ ଟୁର ରେ ଗଲେ, ଯଦି ଖରାଦିନ ହୋଇଥାଏ,ତେବେ ଖବର ଦେଇଥାଏ ଯେ, ମୋ ପାଇଁ ପଖାଳ ଆଉ ଆଳୁଭର୍ତ୍ତା କରିବ । ପଲଉ କରିବନି ! ଅଫିସରମାନେ ମନଦୁଃଖ କରି କୁହନ୍ତି , ସି ଏମ୍ ଙ୍କୁ ଆମେ ଖାଇବାକୁ ଦେଇପାରୁନୁ !!
🏵 କଥା {୨} :
ଏକାଡେମୀ ପୁରସ୍କାର ପାଇବା କଥା ପ୍ରଥମେ ଯେତେବେଳେ ଶୁଣିଲି, ମୋ ବାପାଙ୍କ କଥା ଆଗେ ମନେପଡିଲା । ବାପା ମୋତେ ସବୁବେଳେ କୁହନ୍ତି- ତୁ କିଛି ହୋଇପାରିଲୁନି ! ମୁଁ ତାଙ୍କୁ କୁହେ-
ବାପା,ମୁଁ ଦି’ଥର କେନ୍ଦ୍ରମନ୍ତ୍ରୀ ହେଲି, ଦି’ଥର ବି ମୁଖ୍ୟମନ୍ତ୍ରୀ ହେଲି । ସେଇଟା କଣ କିଛି ନୁହେଁ? କିନ୍ତୁ ବାପା କୁହନ୍ତି- ସେଇଟା ଗୋଟେ କଣ ବଡ କଥା ! ତାହା ‘ ଟେମ୍ପରାରି ‘ । ତୋର କାମ ହେଲା – ଲେଖିବା । ତୁ ବି ପିଲାଦିନରୁ ତ ଲେଖିଆସୁଛୁ ନା । କିନ୍ତୁ ମୋ ଲେଖା ବି ତାଙ୍କର ବିଲକୁଲ ପସନ୍ଦ ନଥିଲା ।
ମୋର ପ୍ରଥମ ଗଳ୍ପ ସଙ୍କଳନ ‘ କେତୋଟି କଥା ‘ ଯେତେବେଳେ ପ୍ରକାଶ ପାଇଲା , ମୋ ବଡପୁଅ ନଚିକେତା ନେଇ ସେ ବହିଟି ବାପାଙ୍କୁ ଦେଲା । ମୁଁ ବି ସେ ବହିଟି ବାପାଙ୍କୁ ଉତ୍ସର୍ଗ କରିଥାଏ । ବାପା ଥଟ୍ଟାକରି କହିଲେ- ” ଏତେଦିନ ଲେଖି ଲେଖି
ଗୋଟାଏ ଜମା ବହି ବାହାରିଛି ? ” ମୁଁ ତାଙ୍କୁ କୁହେ- ବାପା,ତମେ କେତେ ବହି ଲେଖିଛ ! କିନ୍ତୁ ମୁଁ ଗୋଟିଏ ବହି ଲେଖିଥିଲେ ବି, ତାହା ଅନେକ ଭାଷାରେ ଅନୁବାଦ ହୋଇଛି ।
🏵 କଥା { ୩ } :
ମୋ ପିଲାଦିନୁ ଦେଖିଆସିଛି , ଆମଘରେ ସବୁବେଳେ ଖାନତଲାସି ଚାଲିଥିବ । ( ମୁଁ ତାଙ୍କୁ ପଚାରିଲି- କଣ ଗୋରା ପୋଲିସ ? ସେ କହିଲେ, ନା ନା ଗୋରା ନୁହେଁ, କଳା ପୋଲିସ ) । ବାପା, ଛଦ୍ମନାମ ” ବନ୍ଦୀ ସୈନିକ ” ନାମରେ ଅନେକ ଲେଖା ଲେଖିଥିଲେ । ଆଉ କକେଇ ( ଭଗବତୀ ଚରଣ ପାଣିଗ୍ରାହୀ)ଙ୍କ କମ୍ୟୁନିଜମ୍ ଲେଖା ମଧ୍ୟ ମଧ୍ୟ ପୋଲିସ ଖୋଜେ । ଆମଘରୁ ଜିନିଷ କାଢି ପଦାକୁ ଫୋପାଡି ବି ଦିଅନ୍ତି । ମୁଁ ମଧ୍ୟ ପିଲାଟି ଦିନରୁ କମ୍ୟୁନିଷ୍ଟ ଥିଲି । ରେଭେନ୍ସାରେ ପଢିଲାବେଳେ ୟୁନିଅନ ଜାକକୁ ତଳକୁ ଖସାଇ ତ୍ରିରଙ୍ଗା ପତାକା ଉଡେଇଥିଲି ।
ପୋଲିସ ଠୁ ମାଡ ଖାଇ ଖାଇ ମୋ ମୁଣ୍ଡସାରା ଖାଲି କ୍ଷତ ଆଉ ଖଣ୍ଡିଆ ଦାଗ ଭର୍ତ୍ତି ।। 🍂🍂
~~~~●~~~~○~~~~■~~~~□~~~~
nad1
✍ ୧୯୯୫ ମସିହାର କେଉଁ ଏକ ଅଳସ ସଂଜ ।
ବିଧାନସଭାରୁ ରିପୋର୍ଟିଂ ସାରି ଅଳ୍ପ କିଛି ପାଠ, ଲ୍ୟାଣ୍ଡ ଫୋନରେ ଡାକି ଦେଇ ଏଜି ଛକ ଦେଇ ଫରେଷ୍ଟ ପାର୍କ ଆଡେ ମୁହାଁଇ ଥାଏ ମୁଁ । ପୁଣି ସେଠୁ ଫେରି ଛଅ ନମ୍ବର ମେଡିକାଲ ଦେଇ ନିହାତି ଅନ୍ୟମନସ୍କ ଭାବେ ଆସୁ ଆସୁ ବାଁପଟେ ହଠାତ୍ ଏକ ବଡ ବଙ୍ଗଳାର ଗେଟ୍ ରେ ନନ୍ଦିନୀ ଶତପଥୀ ଙ୍କ ନାମଲେଖା ଫଳକଟି ଉପରେ ନଜର ପଡିଲା । ହଠାତ୍ ମନେପଡିଲା ଯେ,
ଅଳ୍ପ ଦିନତଳେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି- ପ୍ରସିଦ୍ଧ ପଂଜାବୀ ଲେଖିକା ଅମୃତା ପ୍ରୀତମ୍ ଙ୍କ ବହି
” ରସିଦ ଟିକେଟ ” ର ଅନୁବାଦ ଲାଗି ।
ବିନା କୌଣସି ଅନୁମତି ବା ସୂଚନାରେ ଗେଟ୍ ଖୋଲି ସେଇ ବିଶାଳ ବଂଗଳା ଭିତରେ ପଶିଲି ଏବଂ ଏଡେ ବଡ ଘରଭିତରେ ପୁରା ନିରବତା ଛାଇଯାଇଥିବା ଅନୁଭବ କଲି ।। କିଛି ସମୟ ଡାକିବା ପରେ ଅଳ୍ପ ବୟସର ପିଲାଟିଏ ଆସିଲା । ଅନୁମତି ନଥିବା ସତ୍ତ୍ବେ ଦୋ ଦୋ ପାଂଚହୋଇ ନନ୍ଦିନୀ ଦେବୀଙ୍କୁ ଖବର ଦେବାକୁ ଗଲା । ହଠାତ୍ ଅଳ୍ପ ଆଲୁଅ ଭିତରେ ଏକ ଗାଉନ ପିନ୍ଧି ଶୀର୍ଣ୍ଣ ଶରୀରର ଯେଉଁ ମହିଳା ଜଣକ ଆସି ପହଂଟିଲେ, ସେ ଥିଲେ ଓଡିଶାର ” ଆଇରନ୍ ଲେଡି ” – ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ।
ମୁଁ ତାଙ୍କର ଏକ ସାକ୍ଷାତକାର ନେବାକୁ ଅନୁରୋଧ କଲି ଏବଂ କିଛିଟା ଅନିଚ୍ଛା ସହିତ ସେ ନିଜ ଜୀବନର ଅନେକ କଥା ବେଶ ଖୋଲାମନରେ ଆଲୋଚନା କଲେ । ଆଳାପ ଆଲୋଚନାର ସମୟ ପ୍ରାୟ ଦୁଇଘଣ୍ଟା ଟପିଗଲା ଏବଂ ତାଙ୍କ ନିର୍ଦ୍ଦେଶରେ ସହାୟକ ପିଲାଟି କଫି ଓ ଜଳଖିଆ ଦେଇଗଲା ।
ନନ୍ଦିନୀ ଦେବୀଙ୍କ ସହ କଥାବାର୍ତ୍ତାର ପ୍ରତିଟି ଧାଡି ମୁଁ ଟିପି ରଖିଥିଲି- କାରଣ ସେତେବେଳେ ମୋବାଇଲ୍ ଆସିନଥିଲା କିମ୍ବା ମୋର ଟେପ୍ ରେକର୍ଡର ବି ନଥିଲା ।।
•••••••••••••••••••>
ତାଙ୍କର ଦୀର୍ଘ ଆଳାପର କଥାଗୁଡିକର ଅବିକଳ ଏଇପରି ଥିଲା-
•••••••••••••••••••>
■ ପିଲାଦିନୁ, ମୁଁ ଲେଖିବା ଆରମ୍ଭ କରିଛି। କଟକର ମିଡିଲ ସ୍କୁଲ ଆଉ ଟ୍ରେନିଂ ସ୍କୁଲରେ ପଢିବା ବେଳଠୁଁ , ୧୯୪୧-୪୨ ମସିହାରେ ସ୍କୁଲ ମାଗାଜିନରେ ପ୍ରଥମ ଗପ ‘ ଅନାଥ ‘ ପ୍ରକାଶିତ ହୋଇଥିଲା । ସେଇ ଅଳ୍ପ ବୟସରେ ମୁଁ ଇଂରାଜୀ ଅନୁବାଦ ମଧ୍ୟ କରୁଥିଲି ।ଅବଶ୍ୟ ବାପାଙ୍କୁ ଅନେକ ବିଷୟ ପଚାରି ବୁଝୁଥିଲି ।
● ମାକସିମ୍ ଗର୍କୀଙ୍କ ” ମଦର ” ଓ ମୋ ପାଁ ସା ଙ୍କ ବି ଅନୁବାଦ କରୁଥିଲି । ଜର୍ମାନୀ ଓ ୠଷ ଲଢେଇରେ ଯେଉଁ ଝିଅ ଗରିଲାମାନେ ଅଂଶଗ୍ରହଣ କରୁଥିଲେ, ସେମାନଙ୍କ ପ୍ରେରଣାରେ ଉତ୍ସାହିତ ହୋଇ ସେମାନଙ୍କ ଉପରେ ବାହାରୁଥିବା ଲେଖାକୁ ବି ପଢି ତାକୁ ଅନୁବାଦ କରୁଥିଲି ।
● ଆମ ପରିବାର ଥିଲା ପୁରା ସାହିତ୍ୟର ପରିବାର । ମୋ ଜେଜବାପା ସ୍ୱପ୍ନେଶ୍ୱର ପାଣିଗ୍ରାହୀ ,ବାପା କାଳିନ୍ଦୀ ଚରଣ ପାଣିଗ୍ରାହୀ, କକେଇ ଭଗବତୀ ଚରଣ ପାଣିଗ୍ରାହୀ, ଦଦେଇ ଦିବ୍ୟସିଂହ ପାଣିଗ୍ରାହୀ, ଆଉ ମୋ ବୋଉ ରତ୍ନମଣି ଦେବୀ –
ଏମାନଙ୍କର ବହୁ ପ୍ରଭାବ ପଡିଛି ମୋ ଉପରେ । ମୋ ବୋଉ ବି କବିତା ଲେଖେ।
କହିବାକୁ ଗଲେ, ଆମ ପରିବାରର ପେଷା ଓ ନିଶା ହେଉଛି- ସାହିତ୍ୟ ।
● ଆମ ରାଜ୍ୟରେ ଗୋଟିଏ କଥା ମତେ ବିଶେଷ ଭାବରେ ଦୁଃଖ ଦିଏ ।ଯେଉଁ କେତେକ ପ୍ରତିଷ୍ଠିତ କବି ବା ଲେଖକ ରହିଛନ୍ତି, ସବୁବେଳେ ସେମାନଙ୍କୁ ହିଁ ଖୋଜାଲୋଡା ପଡେ । ମୁଁ ଚାହେଁ, ଆସନ୍ତା ପୀଢିର ଯେଉଁ ପିଲାମାନେ ଲେଖିବାକୁ ଉଦ୍ୟମ କରୁଛନ୍ତି- ସେମାନଙ୍କୁ ବୟସ୍କ ସାହିତ୍ୟିକ ମାନେ ଯଥେଷ୍ଟ ଉତ୍ସାହ ଦେବା ଦରକାର । ତା ହେଲେ ଓଡିଆ ସାହିତ୍ୟ ଉନ୍ନତି କରିପାରିବ ।
● ଏବେ ଯେତେସବୁ ପୁରସ୍କାର ଶାରଳା,ଓଡିଶା ସାହିତ୍ୟ ଏକାଡେମୀ ଇତ୍ୟାଦି ଇତ୍ୟାଦି- ସେଥିପାଇଁ ବହୁତ ଧରାଧରି ହେବା କଥା ମୁଁ ଶୁଣୁଛି ।
● ମୁଁ ଏକ କର୍ମଶାଳାରେ କହିଥିଲି ଯେ, ଶାଶୁ ଯଦି ବୋହୂ ଉପରେ ଅତ୍ୟାଚାର କରୁଛି ଏବଂ ତାକୁ ପୋଡି ମାରି ଦେବାକୁ ଚେଷ୍ଟା କରୁଛି, ତେବେ ବୋହୂ କାହିଁକି ତାକୁ ନୀରବରେ ସହିଯାଉଛି? ଶାଶୁ ଆଉ ବୋହୂ ଉଭୟେ ହେଲେ ନାରୀ । ଜଣେ ନାରୀ ଆଉ ଜଣେ ନାରୀ କୁ ସମ୍ମାନ ଦେବାକୁ ନଶିଖିଲେ ଏବଂ ନିଜକୁ ମନୁଷ୍ୟ ବୋଲି ନ ଭାବିଲେ ସେ ଏଭଳି ନିର୍ଯ୍ଯାତିତା ହେଉଥିବ । ସେଥିପାଇଁ ଆଜିକାଲି ବୋହୂମାନେ ଅଧିକ ଶିକ୍ଷିତା
ହୋଇ ମଧ୍ୟ ନିର୍ଯ୍ଯାତନା ଭୋଗୁଛନ୍ତି । ପୂର୍ବରୁ ବି ଭୋଗୁଥିଲେ । ଖାଲି ଆପଣଙ୍କ ଭଳି ଖବରକାଗଜର ସାମ୍ବାଦିକମାନେ ସେ ସମୟରେ ନଥିଲେ ବୋଲି , ସେଦିନର ନିର୍ଯ୍ଯାତନାଟା ଏତେ ପ୍ରକାଶ ପାଉନଥିଲା ।
● ମୁଁ ସବୁବେଳେ କୁହେ ଯେ, I am a person. Women must be a person.
ଏବେ ମଡର୍ଣ୍ଣ ବୋହୂମାନେ ମଧ୍ୟ ଶାଶୁମାନଙ୍କୁ ନିର୍ଯ୍ଯାତନା ଦେଉଛନ୍ତି । ଖାଲି ବଧୂ ନିର୍ଯ୍ଯାତନା କଥା କୁହାଯାଉଛି,କିନ୍ତୁ ଶାଶୁ ନିର୍ଯ୍ଯାତନା କଥା କାହିଁକି କିଏ ବୁଝୁନି ତ !!
● ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଅନେକ କଥା କହିବାକୁ ଇଛା ହୁଏ, କିନ୍ତୁ ଅବସ୍ଥା ଦେଖି ନଲେଖି ରହିଯାଏ । ରାଜନୈତିକ ଦୃଷ୍ଟିକୋଣରୁ କେତେକ ସମାଲୋଚନା ଲେଖା ମୁଁ
” ଗାୟତ୍ରୀ ” ଛଦ୍ମନାମରେ ଲେଖିଥିଲି ।
● କିଛି ନ ଲେଖିଲେ,ନ ପଢିଲେ ମୁଁ ଶୋଇପାରେନା । ପ୍ରତିଦିନ ରାତି ଦୁଇଟା ପୂର୍ବରୁ ମୋତେ ନିଦ ମାଡେନା । ଏବେ ଗପ ଆଉ କବିତା ଲେଖୁଛି।ଅମୃତା ପ୍ରୀତମ୍ ଓ ଖୁସବନ୍ତ ସିଂହ ମୋତେ ବହୁଥର ଜୀବନୀ ଲେଖିବାକୁ ପରାମର୍ଶ ଦେଇ କହିଛନ୍ତି-” ରାଜନୀତି କ୍ଷେତ୍ରରେ ଆପଣଙ୍କର ଅନେକ ସମସାମୟିକ ଅଛନ୍ତି, ତେଣୁ ଆତ୍ମଜୀବନୀ ଲେଖି ତାକୁ ସିଲ୍ କରି ରଖିଦିଅନ୍ତୁ ।ଆପଣଙ୍କ ମୃତ୍ୟୁ ପରେ ତାହା ପ୍ରକାଶ ପାଇବ ।
ମାତ୍ର ମୋ ଲେଖା ପଢି ଅନ୍ୟ ମାନଙ୍କର ପ୍ରତିକ୍ରିୟା କଣ ହେବ,ତାହା ତ ମୁଁ ଜାଣିପାରିବିନି ! ତେବେ ପୂର୍ବରୁ ମାସିକ
” ସମୟ ” ପତ୍ରିକା ରେ ” ସେଇ ଲୋକମାନେ ” ଶୀର୍ଷକରେ କେତେକ ଲେଖା ବାହାରିଛି। ‘ ଧରିତ୍ରୀ ‘ ରେ ମଧ୍ୟ ଅଳ୍ପ କେତେଟା ବାହାରିଛି।
ତେବେ ଜୀବନତମାମ ଯେଉଁ ଲୋକମାନଙ୍କ ସଂପର୍କରେ ଆସିଛି,ସେମାନଙ୍କ କଥା ହିଁ ଏଥିରେ ଲେଖିଛି ।×××
*****
୧୯୩୧ ମସିହା ଆଜିର ଦିନରେ ( ଜୁନ୍ ୯ ତାରିଖ)
କଟକର ବକ୍ସିବଜାର- ଯାଚକ ଲେନ୍ ର ଖ୍ରୀଷ୍ଟିଆନ ସାହିରେ ବିଖ୍ୟାତ ସାହିତିକ ପଦ୍ମ ଭୂଷଣ କାଳିନ୍ଦୀ ଚରଣ ପାଣିଗ୍ରାହୀ ଓ ରତ୍ନମଣି ଦେବୀଙ୍କ ଜ୍ୟୋଷ୍ଠ ସନ୍ତାନ ଭାବେ ଜନ୍ମଗ୍ରହଣ କରିଥିଲେ, ଓଡିଶାର ଏହି ସ୍ମରଣୀୟ ନାରୀ ପ୍ରତିଭା ନନ୍ଦିନୀ । ତାଙ୍କର ଜନ୍ମ ବିଛାରାଶିରେ ହୋଇଥିବାରୁ ଜାତକ ନାଁ ଥିଲା – ନର୍ମଦା । ଡାକ ନାଁ ଥିଲା କୁନି ।
ଆମର ଆଳାପ ଆଲୋଚନାର ସମୟ କେତେବେଳୁ ଦୁଇ ଘଣ୍ଟା ଅତିକ୍ରମ କରି ସାରିଥିଲା । ମୁଁ ଯେତେବେଳେ କହିଲି,
୧୯୮୮ମସିହାରେ ରେଭେନ୍ସାରେ ପଢୁଥିଲାବେଳେ ଆପଣଙ୍କ ବିଖ୍ୟାତ ବାପାଙ୍କ ସହ ସାକ୍ଷାତକାର କରିଥିଲି, ସେ ବେଶ ଖୁସି ଦେଖାଗଲେ । ( ୩୨ ବର୍ଷ ତଳେ କାଳିନ୍ଦୀ ଚରଣଙ୍କ ସହ ମୋର ସାକ୍ଷାତକାର ଦୈନିକ “ସମାଜ”ର ରବିବାର ସଂସ୍କରଣରେ ପ୍ରକାଶିତ ହୋଇଥିଲା । ଆମ ହଷ୍ଟେଲରେ ପ୍ରଥମଥର ପାଇଁ ଆୟୋଜନ କରିଥିବା Sri Jagannath Study Circle for Intelectuals ର ଉଦଘାଟନ ପାଇଁ ମୁଁ ଯାଇ ଏହି ମହାର୍ଘ ଅତିଥିଙ୍କୁ ପିଠାପୁରସ୍ଥିତ ତାଙ୍କ ସୁନ୍ଦର ବାସଭବନ ” ସ୍ୱପ୍ନପୁରୀ” ରୁ ଆଣିଥିଲି । ମୋ ସଂପାଦନାରେ ଆମ ହଷ୍ଟେଲର ପ୍ରଥମ ୱାଲ ମାଗାଜିନ ” ଦେବଦାସୀ” ର ମଧ୍ୟ ସେ ଶୁଭ ଉନ୍ମୋଚନ କରିଥିଲେ ।) ।।
ମୋର ପରମ ସୌଭାଗ୍ଯ ଯେ, ଓଡିଶାମାଟିର ଏଭଳି ଅନନ୍ୟ ଓ ଅସାଧାରଣ ପିତା-ପୁତ୍ରୀଙ୍କର ସାକ୍ଷାତକାର କରିବାର ସୁଯୋଗ ପାଇଥିଲି ।।
🍁🍁
Subhendu Kumar Bhuyan

About Ashok Palit

Ashok Palit has completed his graduation from Upendranath College Soro, Balasore and post graduation from Utkal University in Odia Language and literture.. He has also carved out a niche for himself as a scribe of eminence after joining the profession in 1988. He is also an independent media production professional. He brings loads of experience to Advanced Media, Ashok Palit as a cineaste has been active in film criticism for over three decades. As a film society activist, he soared to eminence for his profound commitment to the art film appreciation and aesthetics of cinema. His mode of discourse is often erudite but always lucid and comprehensible marked by a perfect acumen so rare in the field. A film aesthete with an immense fond of critical sensibilities, he wrote about growth and development of odia cinema in New Indian Express, The Times of India, The Hindustan Times, The Asian Age and Screen. He has been working as an Editor for Cine Samaya from 2002-2004.. He had made solid contribution on cinema in many odia Dailies and weekly such as Samaj, Prajatantra, Dharatri, Samaya, Satabadi, and weekly Samaya.

Leave a Reply

Your email address will not be published. Required fields are marked *

*

x

Check Also

03.07.20201

Chief Spokesperson for COVID-19, Subroto Bagchi has warned that coronavirus infection can be fatal

Bhubaneswar:3/7/20: Chief Spokesperson for COVID-19, Subroto Bagchi has warned that coronavirus infection can be fatal, and the slightest of symptoms should not be concealed. Addressing a press conference at Gita ...