Home » Column » ଗୋରା ଲୋକଙ୍କ ବୋଝ ଓ ଜିଲି ସାହେବାଣୀ( Decline and Revival )
download

ଗୋରା ଲୋକଙ୍କ ବୋଝ ଓ ଜିଲି ସାହେବାଣୀ( Decline and Revival )

jp
ଜଗନ୍ନାଥ ପ୍ରସାଦ ଦାସ
୧୮୯୯ ମସିହାରେ ରଡ୍‌ୟାର୍ଡ କିପଲିଙ୍ଗ୍ The White Man’s Burden ବୋଲି ଗୋଟିଏ କବିତା ଲେଖିଥିଲେ ଯାହାର ପ୍ରଥମ ଚାରିଧାଡ଼ି ଥିଲା :
Take up the white man’s burden
Send forth the best you breed-
Go send your sons to exile
To serve your captives’ need.
ଏ ଲେଖାର ବର୍ଷକ ପୂର୍ବରୁ ଆମେରିକା ଯୁଦ୍ଧ କରି ସ୍ପେନ ପାଖରୁ ଫିଲିପାଇନ୍ସକୁ ନେଇ ଯାଇଥିଲା ଓ ବର୍ତ୍ତମାନ ଫିଲିପିନ-ଆମେରିକା ଲଢ଼ାଇ ଚାଲିଥିଲା। କିପଲିଙ୍ଗ୍ ଆମେରିକାକୁ ଉଦ୍‌ବୋଧିତ କରୁଥିଲେ ଫିଲିପିନ ଲୋକଙ୍କର ଭାର ନେଇଯିବା ପାଇଁ ଏବଂ ତାଙ୍କ କବିତାର ଉପଶୀର୍ଷକ ଥିଲା The US and the Philippine Islands। କବିତାକୁ ପଢ଼ି ପରବର୍ତ୍ତୀ ସମୟରେ ରାଷ୍ଟ୍ରପତି ହେବାକୁ ଯାଉଥିବା ଥିଓଡର ରୁଜଭେଲ୍‌ଟ କହିଥିଲେ, ନିହାତି ଖରାପ କବିତା, କିନ୍ତୁ ଉପନିବେଶ ପ୍ରତିଷ୍ଠା କରିବା ଦୃଷ୍ଟିରୁ ଏକ ଉତ୍ତମ ଉପଲବ୍ଧି।
ଏ କବିତାରେ କିପଲିଙ୍ଗ୍ ଚାହୁଁଥିଲେ ଯେ ଇଂଲଣ୍ଡ ଓ ଅନ୍ୟ ଇଉରୋପୀୟ ଦେଶ ଯେପରି ଉପନିବେଶ ସ୍ଥାପନ କରିଛନ୍ତି, ଆମେରିକା ମଧ୍ୟ ତା’ କରୁ। ଏହି ଉପନିବେଶର ଲୋକମାନଙ୍କୁ କିପଲିଙ୍ଗ୍ ବର୍ଣ୍ଣନା କରିଥିଲେ, fluttered folk and wild/new-caught, sullen peoples, half-devil and half-child। କବିତାର ମର୍ମ ଥିଲା ଯେ ସାମ୍ରାଜ୍ୟବାଦ ଏକ ମହତ କାର୍ଯ୍ୟ। ସେହି ସମୟଠାରୁ ଔପନିବେଶିକତାର ଆଲୋଚନା ବେଳେ ‘ଗୋରା ଲୋକଙ୍କ ବୋଝ’ ଓ ‘ଅଧା-ସଇତାନ ଅଧା-ଶିଶୁ’ କଥା ଉଠିଥାଏ।
ଗୋରା ଲୋକ ଆମ ଦେଶକୁ ଅଧିକାର କରିବା ପରେ ପରେ ଆମକୁ ‘ସଭ୍ୟ’ କରିବାରେ ଲାଗିଗଲେ। ସେମାନେ ବିଲାତୀ ବ୍ୟବସ୍ଥା ପ୍ରଚଳନ କଲେ ଓ ଆମ ଉପରେ ସଂସ୍କୃତ ଆରବିକ ମାଧ୍ୟମରେ ପାଠ ବଦଳରେ ଇଂରେଜୀ ଭାଷା ଲଦିଦେଲେ। ଆମର ପାରମ୍ପରିକ ରୀତିନୀତିକୁ ଭାଙ୍ଗି ଦେଇ ସେମାନେ ତାଙ୍କ ହିସାବରେ ଜମିଜମା ବନ୍ଦୋବସ୍ତ ଓ ଫୌଜଦାରୀ ଆଇନ ପ୍ରଣୟନ କଲେ। ଏ ସବୁ କରିବା ମୂଳରେ ଯୁକ୍ତି ଥିଲା ଯେ ଏହା ଆମର ଭଲ ପାଇଁ।
ଏଥରକ ସେମାନେ କିଛି ସାମାଜିକ ବ୍ୟବସ୍ଥାରେ ହାତ ଦେଲେ, ଯଥା, ବିଧବା ପୁନର୍ବିବାହ, ସତୀପ୍ରଥା ଉଚ୍ଛେଦ ଇତ୍ୟାଦି ଯେଉଁଥିପାଇଁ ସେମାନଙ୍କୁ ଭାରତୀୟ ସଂସ୍କାରକଙ୍କର ସମର୍ଥନ ମଧ୍ୟ ମିଳିଲା। ଗୋରାମାନଙ୍କର ଓଡ଼ିଶାରେ ଏ ଭଳି ଏକ କାମ ଥିଲା ମେରିଆ ନରବଳିର ଉଚ୍ଛେଦନ। ବିଦ୍ୱାନମାନେ ବର୍ତ୍ତମାନ ଏ ବିଷୟରେ ଗବେଷଣା କରି ମତ ଦେଉଛନ୍ତି ଯେ କନ୍ଧମାନେ ଇଂରେଜମାନଙ୍କୁ ତାଙ୍କ ଅଞ୍ଚଳରେ ପୂରାଇ ଦେଉ ନଥିଲେ। ସେମାନଙ୍କ ପାଖରୁ ବାରମ୍ବାର ହାରିଯିବା ପରେ ମେରିଆର ଦ୍ୱାହି ଦେଇ ଇଂରେଜମାନେ କନ୍ଧମାନଙ୍କ ଉପରେ ଯୁଦ୍ଧ ଘୋଷଣା କରି ଦମନ ଲୀଳା ଆରମ୍ଭ କରିଦେଲେ। ନରବଳି ବନ୍ଦ କରିବା ଆଳରେ ସେମାନେ କନ୍ଧମାନଙ୍କ ପ୍ରତିରୋଧକୁ ପୂରାପୂରି ଧ୍ୱଂସ କରି ୧୮୩୫ରେ କନ୍ଧମାଳକୁ କବଳ କରିନେଲେ। ଏବଂ ନିଜକୁ ତ୍ରାଣକର୍ତ୍ତା ଭାବରେ ଉପସ୍ଥାପିତ କଲେ।
ଗୋରା ଲୋକ ଯେ କଳା ଲୋକଙ୍କୁ ଶାସନ କରି ସେମାନଙ୍କୁ ସଭ୍ୟ ଓ ମାର୍ଜିତ କରିବାର ଦାୟିତ୍ୱ ନେଇ ନେଲେ, ସାହିତ୍ୟରେ ମଧ୍ୟ ଏହି ଭାବଧାରାର ପ୍ରତିଫଳନ ହେଲା। ଫିଲିପ ଟେଲରଙ୍କ ଉପନ୍ୟାସ ସୀତା(୧୮୭୨)ରେ ବିଲାତୀ ହିରୋ ସତୀ ହୋଇ ଜଳିଯାଉଥିବା ବିଧବାକୁ ଉଦ୍ଧାର କରି ଶେଷରେ ତାକୁ ବିବାହ କରୁଛି। ଜୁଲ ଭର୍ନଙ୍କର ‘Around the World in Eighty Days’(୧୮୭୩)ରେ ଅଶି ଦିନରେ ପୃଥିବୀ ପ୍ରଦକ୍ଷିଣ କରିବାର ବାଜି ନେଇଥିବା ନାୟକ ନିଜ ସମୟର ସ୍ୱଳ୍ପତା ସତ୍ତ୍ୱେ କୌଶଳ କରି ଜଣେ ସତୀକୁ ଉଦ୍ଧାର କରିଥିଲା। ଏପରିକି ରବୀନ୍ଦ୍ରନାଥ ଠାକୁରଙ୍କ ଦିଦି(୧୮୯୫) ଗଳ୍ପରେ ଜୟଗୋପାଳର ସ୍ତ୍ରୀ ଶଶି ନିଜର ସ୍ୱାମୀକୁ ବିଶ୍ୱାସ ନ କରି ତାର ଛୋଟ ଭାଇର ରକ୍ଷଣର ଭାର ଇଂରେଜ ମାଜିଷ୍ଟ୍ରେଟଙ୍କ ପାଖରେ ସମର୍ପଣ କଲା କାରଣ ତା ଆଖିରେ ଗୋରାଲୋକ ତାର ନିଜର ଜ୍ଞାତିମାନଙ୍କଠାରୁ ଉତ୍ତମ ମା-ବାପ।
ଏ ସବୁର ପ୍ରତିଫଳନ ଆମ ଓଡ଼ିଆ ସାହିତ୍ୟରେ ହେଲା ଅନେକ ପରେ କାରଣ ଭକ୍ତି ଓ ପ୍ରେମମୂଳକ କାବ୍ୟ କବିତାରେ ସାମାଜିକ ସ୍ଥିତି ବିଷୟରେ ଲେଖିବାର ସୁଯୋଗ ନ ଥିଲା। ଆମ ସାହିତ୍ୟକୁ ଗୋରା ଆସିଲେ ଫକୀରମୋହନଙ୍କ ଜରିଆରେ। ନିଜର ଉପନ୍ୟାସରେ ଫକୀରମୋହନ ଇଂରେଜ ଉପନିବେଶବାଦ ଓ ସେମାନଙ୍କ ପ୍ରବର୍ତ୍ତିତ ରାଜସ୍ୱ ଓ ଦଣ୍ଡବିଧି ଆଇନକୁ ସମାଲୋଚନା କରୁଥିବା ବେଳେ ଅନ୍ୟ ଲେଖାମାନଙ୍କରେ ଗୋରା ଅମଲା ଓ ବିଶେଷରେ ରେଭେନଶାଙ୍କ ପ୍ରଶଂସାରେ ଶତମୁଖ ଥିଲେ। ପହିଲା ଡିସେମ୍ବର ୧୯୧୫ରେ ଉତ୍କଳ ସାହିତ୍ୟ ପତ୍ରିକା ପାଇ ସେ ତା’ର ସଂପାଦକ ବିଶ୍ୱନାଥ କରଙ୍କୁ ପତ୍ରରେ ଲେଖିଥିଲେ, ‘‘କାହଁକି ବୁଝିପାରିଲି ନାହିଁ ସାହିତ୍ୟ ବାହ୍ୟ ଆକାରଟା ଏଥରକ ମୋ ଆଖିକୁ ବଡ଼ ସୁନ୍ଦର ଦିଶିଲା। ଫିଟାଇଲି, ରେଭେନଶା ଫଟୋରେ ତିନିଥର ମୁଣ୍ଡ ଲଗାଇ, ପୁଣି ଥରେ ଭଲ କରି ଅନାଇ, ପୁଣି ତିନି ଥର ମୁଣ୍ଡ ଲଗାଇଲି।’’ ନିଜର ଆତ୍ମଜୀବନୀରେ ମଧ୍ୟ ସେ ଏ ଭଳି ଗୁଣ କୀର୍ତ୍ତନ କରିଛନ୍ତି।
ସୁରେନ୍ଦ୍ର ମହାନ୍ତି ତାଙ୍କର ଫକୀର ମୋହନ(୧୯୫୦) ବହିର ପରିଶିଷ୍ଟରେ ଫକୀରମୋହନଙ୍କ ‘ଆତ୍ମଜୀବନୀରୁ ଏକ ଅଧ୍ୟାୟ’ ସଂଯୋଜନା କଲାବେଳେ ଗୋରାମାନଙ୍କ ଅତ୍ୟଧିକ ପ୍ରଶଂସା ତାଙ୍କୁ ଦୃଷ୍ଟିକଟୁ ଲାଗିଥିବାରୁ ସେ ଫକୀରମୋହନଙ୍କ ଲେଖାରୁ କେତେକ ବାକ୍ୟକୁ କାଟି ଦେଇଥିଲେ।
ସୈନ୍ୟ ଓ ଶାସକମାନଙ୍କ ବ୍ୟତୀତ ଆଉ ଯେଉଁ ଗୋରା ଦଳ ଆମକୁ ସଭ୍ୟ କରିବାକୁ ଆସିଲେ, ସେମାନେ ହେଲେ ପାଦ୍ରି। ସେମାନେ ଆମକୁ ପିତୁଳାମୁକ୍ତ କରିବାର ପଣ ନେଇ ଆସୁଥିଲେ ତାଙ୍କ ଆଗରେ ବାଇବଲର ପବିତ୍ରବାଣୀ ଥିଲା : The idols He shall utterly abolish. He will famish all the gods of the earth। ଓଡ଼ିଶା ପାଇଁ ପାଦ୍ରିଙ୍କର ଏକ ବିଶେଷ ଲକ୍ଷ୍ୟ ଥିଲା ଜଗନ୍ନାଥ ମନ୍ଦିର ୧୮୦୩ରେ ଇଂରେଜମାନେ ଓଡ଼ିଶା ଅଧିକାର କରିବା ବେଳେ ମରହଟ୍ଟା ଅତ୍ୟାଚାରରେ ଛଟପଟ ଓଡ଼ିଆମାନେ ତାଙ୍କୁ ପାଛୋଟି ଆଣିଲେ। ଏପରିକି ପୁରୀ ପଣ୍ଡାମାନେ ମଧ୍ୟ ଇଂରେଜମାନଙ୍କ ମିତ ହେଲେ। କମ୍ପାନୀ ଶାସକମାନେ ନିଜର ସ୍ୱାର୍ଥ ପାଇଁ ପୁରୀ ମନ୍ଦିରକୁ ଆପଣା ମତେ ଚଳିବାକୁ ଦେଲେ ଓ ସାହାଯ୍ୟ କଲେ। ୧୮୨୨ରେ କିନ୍ତୁ ବାପ୍‌ଟିଷ୍ଟ ମିଶନର ଗୋରା ପାଦ୍ରି ଆସିଲେ ଭିନ୍ନ ଲକ୍ଷ୍ୟ ନେଇ। ତାଙ୍କ ନିଜ ରିପୋର୍ଟ ଅନୁସାରେ ତାଙ୍କର ଉଦ୍ଦେଶ୍ୟ ଥିଲା attacking one of the strongest holds of the prince of darkness… extract the first stones from the foundation of the mighty pagoda… Juggernaut, the great, the obscene, the bloody Juggernaut, must fall।
ଏପରି କିଛି କିନ୍ତୁ ହେଲା ନାହିଁ। ଜଗନ୍ନାଥ ମନ୍ଦିରକୁ ରସାତଳ କରିବା ତ ଦୂରର କଥା, ବେଶି ଲୋକଙ୍କୁ ବି ଖିରସ୍ତାନ କରିପାରିଲେ ନାହିଁ ସେମାନେ। ଗୋରା ଅମଲାଙ୍କୁ ପ୍ରଶଂସା କରୁଥିବା ଫକୀରମୋନଙ୍କର ପାଦ୍ରିଙ୍କ ପାଇଁ ନକାରାତ୍ମକ ଦୃଷ୍ଟି ଥିଲା। ସେ ଲେଖିଛନ୍ତି, ଖ୍ରୀଷ୍ଟିଆନ ପ୍ରଚାରକଙ୍କ ହାତରେ ଘୋଡ଼ା ଚାବୁକ ଥାଏ; ଯୀଶୁଖ୍ରୀଷ୍ଟଙ୍କୁ ନିନ୍ଦା କଲେ ଦେ ପ୍ରହାର। ପ୍ରକୃତରେ କିନ୍ତୁ ଏହି ପାଦ୍ରିମାନେ ଅତି ହିନିମାନ ଅବସ୍ଥାରେ ରହୁଥିଲେ, ଲୋକମାନେ ତାଙ୍କୁ ଥଟ୍ଟା ତାମସା ଅପମାନ କରୁଥିଲେ। ଏହି ବିଚରାମାନେ ଓଡ଼ିଶାର ହିନ୍ଦୁମାନଙ୍କୁ ଖ୍ରୀଷ୍ଟିଆନ କରିବାରେ ଅସମର୍ଥ ହେଲେ ବି ଓଡ଼ିଶାର ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ଅନେକ କାମ କରିଥିଲେ ଯାହା ଆମକୁ ସ୍ଵୀକାର କରିବାକୁ ହେବ।
ପରବର୍ତ୍ତୀ ସମୟରେ ଧର୍ମ ପ୍ରଚାର ଓ ଆଧ୍ୟାତ୍ମିକ ଉଦ୍ଦେଶ୍ୟ ନେଇ କେତେକ ଗୋରା ସ୍ତ୍ରୀ ପୁରୁଷ ଭାରତକୁ ଆସିଥିଲେ ଏବଂ ଏଠାରେ ନିଃସ୍ୱାର୍ଥ ସେବା କରି ଆମର ପ୍ରଶଂସା ଭାଜନ ହୋଇଛନ୍ତି। ସେମାନଙ୍କ ଭିତରୁ ପ୍ରସିଦ୍ଧ କେତେଜଣ ହେଲେ ଆନି ବେସାନ୍ତ (ଭାରତରେ ରହିଥିଲେ ୧୮୯୩ରୁ ଚାଳିଶ ବର୍ଷ, ମୃତ୍ୟୁ ପର୍ଯ୍ୟନ୍ତ), ଭଗିନୀ ନିବେଦିତା(୧୮୯୯ରୁ ବାର ବର୍ଷ), ସି.ଏଫ୍ ଆଣ୍ଡୃଜ (୧୯୦୪ରୁ ୧୯୩୬), ଶ୍ରୀମା(୧୯୨୦ରୁ ତେପନ ବର୍ଷ), ଭେରିଅର ଏଲଓ୍ୱିନ (୧୯୨୭ରୁ ସଇଁତିରିଶ ବର୍ଷ) ଏବଂ ମଦର ଟେରେସା(୧୯୩୭ରୁ ଷାଠିଏ ବର୍ଷ)। ଏମାନଙ୍କ ବ୍ୟତୀତ ଆସିଥିଲେ ମୀରାବେନ ଗାନ୍ଧୀଙ୍କର ଶିଷ୍ୟାହୋଇ ୧୯୨୫ରେ; ଗାନ୍ଧୀଙ୍କ ମୃତ୍ୟୁ ପରେ ୧୯୫୯ରେ ସେ ଫେରିଗଲେ ଏବଂ ଭାରତକୁ ପୂରାପୂରି ଭୁଲିଗଲେ।
ଉପରୋକ୍ତ ମହାନ୍ ଲୋକମାନେ ଭାରତର ସେବାରେ ନିଜକୁ ଉତ୍ସର୍ଗ କରି ଦେଇଥିଲେ ଏବଂ ଚାଲିଚଳନ, ଚିନ୍ତାଧାରା ଓ ଭାବାବେଶରେ ପୂର୍ଣ୍ଣମାତ୍ରାରେ ଭାରତୀୟ ଥିଲେ। ଏଠାରେ କରିଥିବା କାମକୁ ସେମାନେ ‘ବୋଝ’ ଭାବରେ ନୁହେଁ ବରଂ ସ୍ୱଇଚ୍ଛାରେ ଆନନ୍ଦରେ ନିଜ ଉପରକୁ ନେଇଥିଲେ। ଭାରତ ମଧ୍ୟ ସେମାନଙ୍କ ଦ୍ୱାରା ବିଶେଷ ଭାବରେ ଉପକୃତ ହୋଇଥିଲା।
ସାହିତ୍ୟରେ ମଧ୍ୟ ପ୍ରଭାବ ପଡ଼ିଲା ଏ ଭଳି ନିଃସ୍ୱାର୍ଥ ଗୋରା ଲୋକ ଆସି ଭାରତରେ ଲୋକ ସେବା କରୁଥିବାର। ନିକଟ ଅତୀତର ଏ ଭଳି ଗୋଟିଏ ବହି ହେଲା ୧୯୮୫ରେ ପ୍ରକାଶିତ ଜନପ୍ରିୟ ଉପନ୍ୟାସ A City of Joy। ଏଥିରେ ଅଛି କଲିକତା ଆନନ୍ଦଗ୍ରାମର ଦୁଃସ୍ଥ ଓ କୁଷ୍ଠରୋଗ ପୀଡ଼ିତ ଲୋକମାନଙ୍କର ସେବା କରୁଥିବା ପୋଲାଣ୍ଡର ପାଦ୍ରି ଓ ଆମେରିକାର ଯୁବ ଡାକ୍ତରଙ୍କର କାହାଣୀ।
ଏତେବେଳକୁ Edward Saidଙ୍କର Orientalism (୧୯୭୮) ଓ ଗାୟତ୍ରୀ ଚକ୍ରବର୍ତ୍ତୀ ସ୍ପିଭାକ ପ୍ରମୁଖଙ୍କର ସାମ୍ରାଜ୍ୟବାଦ ବିରୋଧୀ ଲେଖାର ଯୁଗ ଆସିଗଲାଣି ଏବଂ ଉତ୍ତର ଉପନିବେଶବାଦୀ ଲେଖାର ଆଧିପତ୍ୟ। ଲୋକମାନେ ପ୍ରଶ୍ନ କରୁଛନ୍ତି ଏ ପର୍ଯ୍ୟନ୍ତ କ’ଣ ସେଇ ଗୋରା ଲୋକ ଆମର ବୋଝ ବୋହୁଛନ୍ତି ଏବଂ ଆମର ଆପଦ ବିପଦରେ କେବଳ ସେଇମାନେ ଆମର ସାହା ଭରସା? ଏ କଣ ଆମ ପାଇଁ କଂଗ୍ରେସର ‘ସୋନିଆ ଲାଓ ଦେଶ ବଚାଓ’ ଅବସ୍ଥା? ଏହି କାରଣରୁ A City of Joy ସମାଲୋଚନାର ଶରବ୍ୟ ହେଲା।
-୨-
ମୋ ପାଇଁ ମଧ୍ୟ ଏହିଭଳି ଗୋଟିଏ ସମସ୍ୟା ଆସିଥିଲା। ସ୍ୱାଧୀନତା ପୂର୍ବରୁ ଜନ୍ମିଥିବାରୁ ଓ ପରବର୍ତ୍ତୀ ସମୟରେ ଆମର ସ୍ୱାଧୀନତା ସଂଗ୍ରାମ ଓ ପଚାଶ ଷାଠିଏ ଦଶକରେ ପୃଥିବୀର ବିଭିନ୍ନ ବିକାଶଶୀଳ ଦେଶର ସ୍ୱାଧୀନତା ବିଷୟରେ ଜାଣି ଓ ସାମ୍ରାଜ୍ୟବାଦ ବିରୋଧୀ ଲେଖାମାନ ପଢ଼ି ମୋର ମଧ୍ୟ ଦୃଢ଼ ପ୍ରତିକ୍ରିୟା ଥିଲା ଗୋରା ଲୋକଙ୍କ କଳା ଲୋକଙ୍କୁ ସଭ୍ୟ କରିବା ବିଷୟରେ।
ମୁଁ ୧୯୭୯-୮୧ରେ ପୁରୀ ରଘୁରାଜପୁର ଚିତ୍ରକାରଙ୍କ ଗାଁରେ ପଟଚିତ୍ର ଓ ତାର ଚିତ୍ରକାରଙ୍କ ଉପରେ ଗବେଷଣା କରୁଥିଲି। (ପଟଚିତ୍ରକୁ କେତେକ ଲେଖକ କାହିଁକି ପଟ୍ଟଚିତ୍ର ବୋଲି ଲେଖୁଛନ୍ତି, ତା ମୋର ଅଜଣା)। ସେଠାରେ ମୁଁ ପ୍ରଥମେ ଜିଲି ସାହେବାଣୀଙ୍କ ନାଁ ଶୁଣିଲି। ସେଠାର ଗାଁ ବାଲା କହିଲେ ଯେ ଅନେକ ବର୍ଷ ଧରି ସେମାନେ ଚିତ୍ର କାମ ଛାଡ଼ି ଦେଇ ହାତ ବାନ୍ଧି ବସିଥିଲେ ଏବଂ ଜିଲି ସାହେବାଣୀଙ୍କ ଯୋଗୁ ହିଁ ସେମାନେ ନିଜର କୁଳବୃତ୍ତି ଚିତ୍ର କାମକୁ ଫେରି ଆସିଲେ। ଚିତ୍ର କାମ ଛାଡ଼ି ଦେବାର ଘଟଣାକ୍ରମ ଏପରି ଥିଲା :
ପୁରୀରୁ କିଛି ଦୂର ରଘୁରାଜପୁର ଓ ଦାଣ୍ଡସାହି ଗାଁର ଚିତ୍ରକାର ଜାତିର ଲୋକଙ୍କର କୁଳ ବେଉସା ଥିଲା ମନ୍ଦିରର କିଛି କାମ କରିବା ଓ ଜଗନ୍ନାଥ ପଟଚିତ୍ର କରି ପୁରୀ ଆସୁଥିବା ଯାତ୍ରୀଙ୍କୁ ବିକିବା। ଏଇଥିରେ ସେମାନେ ଗୁଜରାଣ ମେଣ୍ଟାଉ ଥିଲେ ବିଂଶ ଶତାବ୍ଦୀର ପ୍ରଥମ ଦଶକ ପର୍ଯ୍ୟନ୍ତ। ପୁରୀ ମନ୍ଦିର ପାଖରେ ପଟଚିତ୍ର ବିକିବାର ଜାଗା ଥିଲା ମନ୍ଦିର ଭିତର ବେଢ଼ା ଓ ବାହାରେ ଅରୁଣ ସ୍ତମ୍ଭ ପାଖ ଚକଡ଼ାର ଚିତ୍ରପଟି ମାହାଲ। ଏହି ମାହାଲ ପ୍ରତିବର୍ଷ ନିଲାମ ହେଉଥିଲା ଏବଂ ଗରିବ ଚିତ୍ରକାର ଡାକ ଦେଇପାରୁ ନଥିବାରୁ ବ୍ୟବସାୟୀ ତାକୁ ନିଲାମରେ ନେଇ ଯାଉଥିଲେ। ସେମାନେ ଚିତ୍ରକାରମାନଙ୍କ ପାଖରୁ ଶସ୍ତାରେ ଚିତ୍ର କିଣି ମାହାଲରେ ବେଶି ଦାମରେ ବିକ୍ରି କରିୁଥିଲେ।
ଏଇ ଭଳି ଏକ ମଧ୍ୟସ୍ଥ ଥିଲା ଚିତ୍ରପଟି ମାହାଲର ଠିକାଦାର ଆନନ୍ଦ ମହାନ୍ତି। ସେ ଶଗଡ଼ରେ ଧାନ ନେଇ ରଘୁରାଜପୁର ଯାଇ ଚିତ୍ରକାରଙ୍କ ପାଖରୁ ଧାନ ବଦଳରେ ଶସ୍ତାରେ ଯାତ୍ରୀପଟି କିଣୁଥିଲା। ଏଗୁଡ଼ିକର ଦାମ ଖୁବ୍ କମ୍ ହୋଇଥିବାରୁ ଚିତ୍ର ସବୁ ହିସାବ ହେଉଥିଲା ଶହ ଦରରେ। ଆନନ୍ଦ ମହାଜନି କାମ ମଧ୍ୟ କରୁଥିଲା ଏବଂ ଟଙ୍କା ଲେଣ ଦେଣ ବ୍ୟାପାରରେ ସିଭିଲ କୋର୍ଟରେ ଜଣାଶୁଣା ଥିଲା। ସେ କେସ କରି ସଂପତ୍ତି ବଢ଼ାଇବାରେ ଲାଗିଥିଲା ଓ ୧୯୦୪-୦୫ରେ ନିଜକୁ ଗୋଲା ଜାତିର କହୁଥିବା ବେଳେ ୧୯୧୦-୧୧ ବେଳକୁ ନିଜକୁ କାୟସ୍ଥ କରଣ ବୋଲି ଲେଖିଲା। ଏହି ଆନନ୍ଦ ମହାନ୍ତି ଯୋଗୁ ଚିତ୍ରକାରମାନେ ଗରିବରୁ ଗରିବ ହେବାରେ ଲାଗିଲେ।
ଏଇ ସମୟରେ ପୁରୀର ଜଣେ ସମାଜସେବୀ ମିଛୁ ମିଶ୍ରେ ଚିତ୍ରକାରଙ୍କ ସହାୟତା ପାଇଁ ଗୋଟିଏ କୋଠ ଆରମ୍ଭ କଲେ ଏବଂ ଚିତ୍ରକାରମାନେ କିପରି ସିଧାସଳଖ ଯାତ୍ରୀମାନଙ୍କୁ ପଟିଚିତ୍ର ବିକ୍ରି କରି ପାରିବେ ତାର ବ୍ୟବସ୍ଥାରେ ଲାଗିଲେ। ତାଙ୍କ ଚେଷ୍ଟାକୁ ଭଣ୍ଡ କରିବା ପାଇଁ ଆନନ୍ଦ ମହାନ୍ତି ଦୁଇଟି କାମ କଲା। ସେ ପଟଚିତ୍ରର ନମୁନା ନେଇ କଲିକତା ଯାଇ ସେଠାରେ କଂସାରିପଡ଼ା ଆର୍ଟ ଷ୍ଟୁଡିଓ ଛାପାକଳରେ ଚିତ୍ରଟିର ରଂଗୀନ ପ୍ରତିଲିପି ବହୁ ସଂଖ୍ୟାରେ ଛପାଇ ଆଣିଲା ଓ ହାତ ତିଆରି ଚିତ୍ର ବଦଳରେ ତାକୁ ଆହୁରି ଶସ୍ତା ଦରରେ ବିକିଲା। କିଛି ଦିନ ପରେ ରଘୁରାଜପୁର ଯାଇ ସେ ହଜାର ସଂଖ୍ୟାରେ ଯାତ୍ରୀପଟି ବରାଦ କଲା ଓ କିଛି ନେଇ ବାକି ପରେ ନେବ ବୋଲି କାଗଜ ଲେଖାଇ ନେଲା। ଏହି ଦଲିଲରେ ଚିତ୍ରକାର ତାକୁ ପରେ କି ଜିନିଷ ଶହ ଶହ ଦେବେ ସେ କଥା ସ୍ପଷ୍ଟ ଲେଖା ହେଲା ନାହିଁ। ଏଥର ଆନନ୍ଦ କଚେରୀରେ ମକଦ୍ଦମା କଲା ଯେ ଚିତ୍ରକାରଙ୍କ ଠାରୁ ତାର ଶହ ଶହ ଟଙ୍କା(ଚିତ୍ର ନୁହେଁ!) ପ୍ରାପ୍ୟ ଅଛି। ଚିତ୍ରକାରମାନେ କେସ୍‌ରେ ହାରିଲେ ଏବଂ ତାଙ୍କ ହାତରୁ ଜମିବାଡ଼ି ଚାଲିଗଲା।
ଏଥରକ ଚିତ୍ରକାରମାନେ ବାଧ୍ୟ ହୋଇ ତାଙ୍କର କୌଳିକ କାମ ଛାଡ଼ି ମାଟି ଖୋଳା, ପାନ ବରଜରେ ପାଣି ମଡ଼ାଇବା, ରାଜମିସ୍ତ୍ରୀ କାମକୁ ଆପଣାଇଲେ। ତାଙ୍କ ଭିତରୁ କେତେଜଣ ମୋହନ ଗୋସ୍ୱାମୀଙ୍କ ଯାତ୍ରା ଦଳରେ ଯୋଗ ଦେଲେ। ଏମାନଙ୍କ ଭିତରେ ଥିଲେ ପରବର୍ତ୍ତୀ ସମୟରେ ପ୍ରସିଦ୍ଧ କେଳୁ ଚରଣ ମହାପାତ୍ର ଓ ଜଗନ୍ନାଥ ମହାପାତ୍ର। ଥରେ ଚିତ୍ରକାରମାନେ ଷ୍ଟେସନ ପାଖରେ ଗୋପବନ୍ଧୁ ଦାସଙ୍କୁ ଭେଟିଲେ ଏବଂ ସେ ସେମାନଙ୍କୁ ଅରଟରେ ସୂତା କାଟିବାକୁ ଉପଦେଶ ଦେଲେ। କିଛି ଚିତ୍ରକାର ତଥାପି ଚିତ୍ରକାମ ନ ଛାଡ଼ି ଚିତ୍ର କରୁଥିଲେ ଏବଂ ନିଜ ଉଦ୍ୟମରେ ପୁରୀର ରାସ୍ତାଘାଟ ସମୁଦ୍ର କୂଳରେ ଯାତ୍ରୀମାନଙ୍କୁ ପଟି ବିକ୍ରି କରିବାକୁ ଚେଷ୍ଟା କରୁଥିଲେ। ଏ ହେଲା ଚିତ୍ରକାରମାନଙ୍କର ନିଜ ବେଉସାରୁ ବାହାରିଯିବାର କାହାଣୀ।
ମୁଁ ରଘୁରାଜପୁରରେ କାମ କରିବା ବେଳକୁ ଜିଲି ସାହେବାଣୀଙ୍କ ସହିତ ବ୍ୟକ୍ତିଗତ ସଂପର୍କ ରଖିଥିବା ଅନେକ ଲୋକ ଜୀବିତ ଥିଲେ ଏବଂ ତାଙ୍କ କଥା ଭଲ ଭାବେ ମନେ ରଖିଥିଲେ। (ଜଗନ୍ନାଥ ମହାପାତ୍ର କହୁଥିଲେ ଯେ ସେ ଅତି ସୁନ୍ଦରୀ ଥିଲେ)। ସେମାନେ ଅତି ସରାଗର ସହିତ ଜିଲିଙ୍କ କଥା କହୁଥିଲେ ଏବଂ ବାରମ୍ବାର ମତେ ବୁଝାଉଥିଲେ ତାଙ୍କ ଯୋଗୁ ସେମାନେ କିପରି ଅନ୍ୟ ଧନ୍ଦାରୁ ପୁଣି ଚିତ୍ରକାମକୁ ଫେରି ଆସିଥିଲେ। ତିରିଶ ବର୍ଷ ପୁରୁଣା କଥା ହେଲେ ବି ସେମାନେ ସାହେବାଣୀକୁ ଭୁଲି ନଥିଲେ। ତେବେ ସେମାନେ ଜିଲିର ବନାନ ତ ଦୂରର କଥା, ତାଙ୍କର ପୂରା ନାଁ ମଧ୍ୟ ମତେ କହି ପାରିଲେ ନାହିଁ। ତାଙ୍କଠାରୁ ଏତିକି ଜଣାପଡ଼ିଲା ଯେ ଜିଲି ପରିବାର ସହ ପୁରୀରେ ରହୁଥିଲେ ଏବଂ ତାଙ୍କ ସ୍ୱାମୀ ବରପାଲିରେ କାମ କରୁଥିଲେ।
ମୋର ମନେ ପଡ଼ିଲା ଯେ ପଚାଶ ଦଶକରେ କିଛି ଗୋରା ଲୋକ ବରପାଲିରେ ଗ୍ରାମ ଉନ୍ନୟନ କାମ କରୁଥିଲେ; ସେତେବେଳେ ଓଡ଼ିଶା ସାରା ପ୍ରଚଳିତ ବରପାଲି ପାଇଖାନା ଏଇମାନଙ୍କର ଉଦ୍ଭାବନ ଥିଲା। ମୋର କିପରି ଧାରଣା ଥିଲା ଯେ ଏମାନେ ଆମେରିକାର କ୍ୱେକର ଖ୍ରୀଷ୍ଟିଆନ ସଂପ୍ରଦାୟର ଥିଲେ। ଦିଲ୍ଲୀର କ୍ୱେକର ସଂସ୍ଥାରୁ ଜଣାଗଲା ଯେ ସେମାନେ American Friends Service Committee(AFSC) ନାମକ ଅନୁଷ୍ଠାନ ଗଢ଼ି ବରପାଲିରେ କାମ କରୁଥିଲେ; ପଚାଶ ଦଶକରେ ବରପାଲିରେ କାମ କରୁଥିଲେ ଏହି ସଂସ୍ଥାର Philip Zealey। ତାଙ୍କଠାରୁ ଠିକଣା ନେଇ ମୁଁ ଫିଲିପ ଓ AFSCର Pennsylvania ଅଫିସ ସହିତ ଯୋଗାଯୋଗ କଲି।
୧୯୭୯ରେ Halina Zealeyଙ୍କର ଦେହାନ୍ତ ହୋଇଥିଲା ଓ ଫିଲିପ ବର୍ତ୍ତମାନ UNOର ରେଙ୍ଗୁନ ଅଫିସରେ କାମ କରୁଥିଲେ। ସେ ମତେ ଅନେକ ତଥ୍ୟ ଯୋଗାଇଲେ ଓ ଆମେରିକାରୁ ସେ ସମୟର AFSC କାଗଜପତ୍ରର ନକଲ ପଠାଇଲେ। ଏଇ ସମୟରେ ମୋର ଆଖିରେ ପଡ଼ିଲା C. Ross Smithଙ୍କର A Time in India (୧୯୬୧) ବହି। ସେ ପୁରୀରେ ୧୯୫୨ରେ ଜିଲି ଦମ୍ପତି ଏବଂ ତାଙ୍କର ଛୋଟ ଝିଅ ନିନା ଓ ରୋଜମେରିଙ୍କ ସହିତ କିଛି ଦିନ କଟାଇଥିଲେ। ପରେ ମତେ ସୁଯୋଗ ମିଳିଲା ଲଣ୍ଡନ Museum of Mankindରେ ସେମାନଙ୍କୁ ହାଲିନା ଦେଇଥିବା କେତେକ କାଗଜ ଦେଖିବାର।
ଜିଲି ସାହେବାଣୀ ବା ହାଲିନା ଜିଲିଙ୍କ ଜନ୍ମ ପୋଲାଣ୍ଡରେ। ଦ୍ୱିତୀୟ ମହାଯୁଦ୍ଧ ବେଳେ ପୋଲାଣ୍ଡ ଜର୍ମାନୀ ଓ ରୁଷିଆର ଅଧିକାରରେ ଥିବା ବେଳେ ସ୍କୁଲ ଛାତ୍ରୀ ହାଲିନା ରାଜଧାନୀ ଓ୍ୱାର୍ସରେ ଛ ବର୍ଷ କାଳ Polish Undergroundର ସକ୍ରିୟ ସଭ୍ୟା ଥିଲେ। ଫିଲିପଙ୍କୁ ବାହା ହେବା ପରେ ସେ ସପରିବାର ପୁରୀରେ ରହିଲେ। ସେଠାରେ ସେମାନେ ସମୁଦ୍ର କୂଳ ବାପ୍ଟିଷ୍ଟ୍ ମିଶନ ବଙ୍ଗଳାରେ ରହି ଓଡ଼ିଆ ଶିଖୁଥିଲେ; ଫିଲିପ ଶନି ରବିବାର ପୁରୀରେ ରହି ବାକି ଦିନ ଚାଲିଯାଉଥିଲେ ବରପାଲିରେ କାମ କରିବା ପାଇଁ।
ପ୍ରଫେସର ନିର୍ମଳ କୁମାର ବସୁ ସେତେବେଳେ AFSCର ପରାମର୍ଶଦାତା ଥିଲେ ଓ ଜୁନ ୧୯୫୨ରେ ପୁରୀ ଆସିଥିବା ବେଳେ ହାଲିନାଙ୍କୁ ପୁରୀର ଚିତ୍ରକାର ଓ ପଥୁରିଆଙ୍କ କାମ ସହିତ ପରିଚିତ କରାଇଥିଲେ। ଏବଂ ହାଲିନା ଏହି ସୁନ୍ଦର କାରୁକାର୍ଯ୍ୟ ଦେଖି ମୁଗ୍ଧ ହୋଇ ଯାଇଥିଲେ। ଦିନେ ସମୁଦ୍ରକୂଳରେ ବୁଲିବା ବେଳେ ସେ ଯାତ୍ରୀପଟି ବିକ୍ରି କରୁଥିବା ପାଣୁ ମହାରଣାଙ୍କୁ ଭେଟିଲେ ଓ ପରଦିନ ଫିଲିପଙ୍କୁ ନେଇ ପାଣୁର ଗାଁ ଦାଣ୍ଡସାହିକୁ ଗଲେ। ସେଠାରେ ସେ ଚିତ୍ରକାରଙ୍କୁ ଭେଟି ପାଞ୍ଚ ଇଞ୍ଚରେ ଚାରି ଇଞ୍ଚ ଆକାରର କିଛି ପଟଚିତ୍ର କିଣିଲେ ଗୋଟିକୁ ଚାରି ଅଣା(ବର୍ତ୍ତମାନର ପଚିଶ ପଇସା) ଦରରେ। ସେ ଚିତ୍ରକାରଙ୍କୁ କହିଲେ ଯେ ଆହୁରି ଭଲ ଚିତ୍ର ହେଲେ ସେ ବେଶି ଦାମ ଦେଇ କିଣିବେ।
ଦାଣ୍ଡସାହି ବାଲା କିନ୍ତୁ ହାଲିନାଙ୍କୁ ଜଣାଇଲେ ନାହିଁ ଯେ ପାଖ ଗାଁ ରଘୁରାଜପୁରରେ ତାଙ୍କର ଜ୍ଞାତି ଭାଇ ମଧ୍ୟ ଚିତ୍ରକାମ କରନ୍ତି। ଏ କଥା ସେ ପରେ ଶୁଣିଲେ ଚନ୍ଦନପୁରରେ ଜଣେ କଦଳୀ ବିକାଳି ପାଖରୁ। କିଛି ଦିନ ପରେ ହାଲିନା ସେଠାକୁ ମଧ୍ୟ ଗଲେ ଏବଂ ସେ ଗାଁରୁ ଚିତ୍ର କିଣିଲେ। ସେ ଘୋଷଣା କଲେ ଯେ ସେ ଭଲ ଚିତ୍ର ପାଇଁ ଗୋଟିଏ ପ୍ରତିଯୋଗିତା କରିବେ ଓ ସେଥିପାଇଁ ପୁରସ୍କାର ଦେବେ।
ଛ ମାସ ପରେ ପ୍ରତିଯୋଗିତା ହୋଇ ଏଥିରେ ରଘୁରାଜପୁରର ଅଗାଧୁ ଓ ଲକ୍ଷ୍ମଣ ଦଶ ଟଙ୍କା ପୁରସ୍କାର ପାଇଲେ। ପ୍ରକୃତରେ ତାଙ୍କର ଚିତ୍ର କୁଆଡ଼େ ଆଙ୍କି ଦେଇଥିଲେ ଦାଣ୍ଡସାହିର ପାଣୁ ଓ ପୁରୀର ଦାମ ମହାରଣା। ଦାଣ୍ଡ ସାହି ବାଲା କହିଲେ, ରଘୁରାଜପୁରିଆ ଯଦି ପଟି ଆଙ୍କିବେ, ତେବେ ପାନ ବରଜରେ ପାଣି ମଡ଼େଇବ କିଏ? ଅପମାନିତ ହୋଇ ରଘୁରାଜପୁରର କିଛି ଚିତ୍ରକାର ଯାଇ ଜଗନ୍ନାଥ ମହାପାତ୍ରଙ୍କୁ ଭେଟିବାକୁ ସ୍ଥିର କଲେ।
ଚଉତିରିଶ ବର୍ଷ ବୟସ୍କ ଜଗନ୍ନାଥ ମହାପାତ୍ର ଯଦିଓ ଭଲ ଚିତ୍ରକର ଥିଲେ ଏବଂ ଗାଁରେ ତାଙ୍କର ଭଲ ନାଁ ଥିଲା, ସେ ବର୍ତ୍ତମାନ ଦିନରେ ମଜୁରୀ ଖଟୁଥିଲେ ଓ ରାତିରେ ମୋହନ ଗୋସ୍ୱାମୀଙ୍କ ଯାତ୍ରା ଦଳରେ କାମ କରୁଥିଲେ। ଗାଁ ବାଲା ତାଙ୍କୁ ସନ୍ଧ୍ୟାବେଳେ ପୁରୀରେ ଭେଟିବା ବେଳକୁ ସେ ସେଇ ରାତିର ଯାତ୍ରା ପାଇଁ ରିହର୍ସାଲ କରୁଥିଲେ। ସେ ତାଙ୍କ ପାଖରୁ ଦାଣ୍ଡସାହିବାଲାଙ୍କ ଟାହୁଲି କଥା ଶୁଣିଲେ କିନ୍ତୁ କିଛି କହିଲେ ନାହଁ। ପରଦିନ ସକାଳେ ଜଗନ୍ନାଥ ଗାଁକୁ ଫେରି ଆସିଲେ ଓ ନିଜର ପୁରୁଣା ଟ୍ରଙ୍କରୁ ରଂଗ ତୁଳୀ ପଟି ସରଂଜାମ ବାହାର କଲେ।
ହାଲିନା ନିଜକୁ ଏଥରକ ଚିତ୍ରକାରଙ୍କ ସେବାରେ ପୂରାପୂରି ନିୟୋଜିତ କରିଦେଲେ। ତାଙ୍କର ଲକ୍ଷ୍ୟ ରହିଲା କିପରି ଚିତ୍ରକାରମାନେ ପୁଣି ନିଜ କାମକୁ ଫେରି ଆସିବେ, ଏବଂ ଭଲ ଚିତ୍ର ତିଆରି କରିବେ। ସେ ୮୨ ଜଣ ଚିତ୍ରକାରଙ୍କ ସହିତ ଘନିଷ୍ଠ ହୋଇଗଲେ ଏବଂ ସେମାନେ ବେଳା ଅବେଳାରେ ତାଙ୍କ ପାଖକୁ ସାହାଯ୍ୟ ଓ ଉପଦେଶ ପାଇଁ ଆସୁଥିଲେ। ଯଦିଓ ସେମାନେ ତାଙ୍କ ଘରେ ପାଣି ଛୁଉଁ ନଥିଲେ, ବାପ୍ଟିଷ୍ଟ ବଙ୍ଗଳାରେ ଚିତ୍ରକାରଙ୍କର ମେଳା ଲାଗି ରହୁଥିଲା।
ପଟଚିତ୍ର ବିକ୍ରି ପାଇଁ ହାଲିନା କଲିକତା, ବମ୍ବେ, ଦିଲ୍ଲୀରେ ପ୍ରଦର୍ଶନୀର ଆୟୋଜନ କଲେ। ସେ Bengal Home Industries Association I Indian Institute of Art and Industry ସହିତ ଯୋଗାଯୋଗ କରି ଚିତ୍ର ପ୍ରଦର୍ଶନୀ ଓ ବିକ୍ରୟର ବ୍ୟବସ୍ଥା କଲେ। ଏମାର ମଠ ମହନ୍ତଙ୍କୁ ଲେଖି ରଘୁନନ୍ଦନ ଲାଇବ୍ରେରୀରେ ପଟଚିତ୍ର ବିକ୍ରି ପାଇଁ ଜାଗା କଲେ। ଏ ସବୁ ପାଇଁ ଲେଖି ଲେଖି ତାଙ୍କୁ AFSCରୁ ମିଳିଥିଲା ପାଞ୍ଚ ଶହ ଟଙ୍କା।
ହାଲିନା ପଠାଇଥିବା କିଛି ପଟଚିତ୍ର AFSC ଜରିଆରେ ଭାରତୀୟ କଳା ବିଶେଷଜ୍ଞ Prof. Stella Kramrischଙ୍କ ପାଖରେ ପହଞ୍ଚିଲା। AFSC ତାଙ୍କ ପାଖରୁ ‘Halina’s self-developed project’ ପାଇଁ ଉପଦେଶ ବା ମାର୍ଗଦର୍ଶନ ଚାହିଁଲେ। Kramrisch ପଚିଶଟିରୁ ବାଇଶଟି ଚିତ୍ର ବିକ୍ରି କରି ପାରିଲେ ଓ ଆହୁରି ୧୨୨ଟି ପାଇଁ ବରାଦ ଓ ଅଗ୍ରୀମ ପାଇଲେ। ସେ ମତ ଦେଲେ ଯେ ଏ କଳା ପାଇଁ ଆମେରିକାରେ ପୃଷ୍ଠପୋଷକତା ପାଇବା ସମ୍ଭବ।
ଓଡ଼ିଶାର ରାଜ୍ୟପାଳ ଫଜଲ ଅଲି ପୁରୀ ଯାଇଥିବା ବେଳେ ହାଲିନା ତାଙ୍କୁ ଦୁଇଟି ପଟଚିତ୍ର ଦେଲେ କଟକ ରାଜଭବନ ପାଇଁ। କିଛି ଦିନ ପରେ, ସ୍ୱାଧୀନତା ଦିବସ ପୂର୍ବ ୧୪ ଅଗଷ୍ଟ ୧୯୫୩ ଦିନ ଫିଲିପ ଓ ହାଲିନା ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କୁ ଭେଟି କିଛି ପଟଚିତ୍ର ଉପହାର ଦେଲେ। ମୁଖ୍ୟମନ୍ତ୍ରୀ ଶୁଣି ଆଶ୍ଚର୍ଯ୍ୟ ହେଲେ ଯେ କଲିକତା ବମ୍ବେ ଦିଲ୍ଲୀରେ ମଧ୍ୟ ଲୋକେ ଓଡ଼ିଶାର ଚିତ୍ର ବିଷୟରେ ଆଗ୍ରହୀ।
ସେ ହାଲିନାଙ୍କୁ ଏ ବିଷୟରେ ଗୋଟିଏ ମେମୋରାଣ୍ଡମ ଦେବାକୁ କହିଲେ। ହାଲିନା ଓ ଫିଲିପ ତାଙ୍କୁ ଗୋଟିଏ ନୋଟ ଦେଲେ ଯାହା ୧୬ ଅଗଷ୍ଟରେ ହେଉଥିବା କ୍ୟାବିନେଟ ସଭାରେ ଉପସ୍ଥାପିତ କରାଗଲା ଏବଂ ନୋଟ୍‌ରେ ପରାମର୍ଶ ଦିଆଯାଇଥିବା ଏକ Artistic Crafts Marketing Organisation ଖୋଲା ଯିବାର ନିଷ୍ପତ୍ତି ନିଆଗଲା। ମୁଖ୍ୟମନ୍ତ୍ରୀଙ୍କ ସଭାପତିତ୍ୱରେ ଯେଉଁ Cottage Industries Board ଥିଲା, ସେଥିରେ ହାଲିନାଙ୍କୁ ସଭ୍ୟ କରାଗଲା ଏବଂ ତାଙ୍କୁ ପୁରୀର Arts and Crafts Centre ଚଳାଇବାର ଦାୟିତ୍ୱ ଦିଆଗଲା। ତାଙ୍କୁ ଅନୁରୋଧ କରାଗଲା ପୁରୀ ହାତକାମର ଗୋଟିଏ କ୍ୟାଟାଲଗ ତିଆରି କରିବା ପାଇଁ। ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ତାଙ୍କ ବକ୍ତୃତାରେ ଓଡ଼ିଶାର କଳାକୁ ‘discovered by American friends’ ବୋଲି କହୁଥିଲେ।
ସେହି ବର୍ଷ ନଭେମ୍ବର ୫ରୁ ୧୩, ହାଲିନା ପୁରୀରେ ଗୋଟିଏ Artistic Crafts Exhibition କଲେ ଯାହାର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ। ଏ ସବୁ କାମ ପାଇଁ AFSCରୁ କିଛି ଟଙ୍କା ମାଗିବାରେ ସେ ୨୪ ତାରିଖରେ ତାରରେ ଉତ୍ତର ପାଇଲେ APPROVE THREE THOUSAND RUPEES REVOLVING FUND CONGRATULATIONS ON SUCCESSFUL EXHIBITION.
୧୯୫୪ ଆରମ୍ଭରେ ଫିଲିପ ଦିଲ୍ଲୀକୁ ବଦଳିର ଆଦେଶ ପାଇଲେ। ଓଡ଼ିଶା ଛାଡ଼ିବା ଆଗରୁ ହାଲିନା ଆଉ ଗୋଟିଏ ପ୍ରତିଯୋଗିତା କରିବାକୁ ଚାହିଁଲେ। ଏ ପ୍ରତିଯୋଗିତା ହେଲା କଟକରେ ଉତ୍କଳ ବିଶ୍ୱବିଦ୍ୟାଳୟରେ। ଏଥିରେ ପ୍ରଥମ ହେଲା ଜଗନ୍ନାଥ ମହାପାତ୍ରଙ୍କର ଗଣେଶ ପଟଚିତ୍ର। ଏହାର ପ୍ରକୃତ କାରିଗର କିଏ ସେ ବିଷୟରେ ଏଥରକ କୌଣସି ସନ୍ଦେହ ନ ଥିଲା। ଏହି ଚିତ୍ରଟି ବର୍ତ୍ତମାନ ଲଣ୍ଡନର Museum of Mankindର Zealy Collectionରେ ଅଛି। ଏହି ପଟର ବିଶେଷତ୍ୱ ଥିଲା ଯେ ଏହାର ଧଡ଼ିରେ ଚିରାଚରିତ ଫୁଲ, ଲତା ଇତ୍ୟାଦି ବଦଳରେ ମୂଷାର ଚିତ୍ର ଥିଲା।
ହାଲିନା ୩୧. ୩. ୧୯୫୪ରେ Arts & Crafts Centreରୁ ଅବ୍ୟାହତି ନେଲେ ଓ କିଛି ଦିନ ପରେ ଜିଲି ପରିବାର ପୁରୀ ଛାଡ଼ିଲେ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ରହିବା ପରେ।
ମୋର ଗବେଷଣାର ବହି ଲେଖିବା ବେଳେ ମୋ ଆଗରେ ସମସ୍ୟା ଥିଲା ଆମର କଳାକୁ ଉଜ୍ଜୀବିତ କରିବା ପାଇଁ ଜଣେ ଗୋରା ବିଦେଶିନୀଙ୍କୁ କେତେ ସ୍ୱୀକୃତି ଓ ସମ୍ମାନ ଦିଆଯିବ। ଶେଷରେ ତଥ୍ୟ ଓ ଯୁକ୍ତି ଆଗରେ ମୋର ଭାବପ୍ରବଣତା ହାର ମାନିଲା। ମୁଁ ବୁଝିଲି ଯେ ଯେଉଁମାନେ ଉପକୃତ ହୋଇଛନ୍ତି ଏବଂ ସେମାନେ ଯାହା ପାଖରୁ ଉପକାର ପାଇଛନ୍ତି ବୋଲି ଭାବୁଛନ୍ତି, ସେହି ଉପକୃତ ଓ ଉପକାରିଣୀଙ୍କ ମଝିରେ ମୋର କୌଣସି ସ୍ଥାନ ନାହିଁ।
ତେଣୁ ମୁଁ ମୋ Puri Paintings(Arnold-Heinemann, ୧୯୮୨)ବହିରେ ଗୋଟିଏ ପରିଚ୍ଛେଦରେ ଘଟଣାଟିକୁ ଲେଖିଲି ଯେପରି ଘଟିଥିଲା, ଏବଂ ଏହାର ଶେଷକଲି ଏପରି :
Halina Zealey had achieved the impossible. She had brought back a whole community of Chitrakars to a profession which was traditionally their own but which they had abandoned under compelling circumstances. She had achieved this single-handed, with a meagre grant of Rs.3500, her halting Oriya and an infinite love for the Puri paintings and their makers.
(ମୁଁ ଭାବୁଥିଲି ପରିଚ୍ଛେଦକୁ ଦୁଇ ଭାଗ କରି ତା’ର ଶୀର୍ଷକ ଦେବି The Middleman of Puri ଏବଂ Enter, the Memsahib। ମୋର ପ୍ରକାଶକଙ୍କର ସଂପାଦିକା କିନ୍ତୁ କହିଲେ ଯେ ଗବେଷଣାମୂଳକ ବହିରେ ଏପରି ଚପଳ ହାଲୁକା ଭାଷା ଚଳିବ ନାହିଁ। ତେଣୁ ପରିଚ୍ଛେଦ ନାଁ ରହିଲା ସାଦାସିଧା Decline and Revival।)

About Ashok Palit

Ashok Palit has completed his graduation from Upendranath College Soro, Balasore and post graduation from Utkal University in Odia Language and literture.. He has also carved out a niche for himself as a scribe of eminence after joining the profession in 1988. He is also an independent media production professional. He brings loads of experience to Advanced Media, Ashok Palit as a cineaste has been active in film criticism for over three decades. As a film society activist, he soared to eminence for his profound commitment to the art film appreciation and aesthetics of cinema. His mode of discourse is often erudite but always lucid and comprehensible marked by a perfect acumen so rare in the field. A film aesthete with an immense fond of critical sensibilities, he wrote about growth and development of odia cinema in New Indian Express, The Times of India, The Hindustan Times, The Asian Age and Screen. He has been working as an Editor for Cine Samaya from 2002-2004.. He had made solid contribution on cinema in many odia Dailies and weekly such as Samaj, Prajatantra, Dharatri, Samaya, Satabadi, and weekly Samaya.

Leave a Reply

Your email address will not be published.

x

Check Also

IMG-20200920-WA0016

IITTM Bhubaneswar celebrates SWACHHATA HI SEVA “SWACHHATA PAKHWADA 2020”

Bhubaneswar:20/9/20: The Union Ministry for Culture and Tourism has initiated the Swachhata Hi Seva “Swachhata Pakhwada 2020” from 16th -30th September 2020. IITTM will be organizing different activities during this ...