Home » Literature » ଚିନ୍ତାର ଲାଲ୍ ସେନା : କାବ୍ୟର ଲାଲ୍ ବାନା :Asit Mohanty

ଚିନ୍ତାର ଲାଲ୍ ସେନା : କାବ୍ୟର ଲାଲ୍ ବାନା :Asit Mohanty

କବି ରବି ସିଂ ଙ୍କ ଆତ୍ମଜୀବନୀ ‘ନିଃସଙ୍ଗ ପଦାତିକ’ର ଏହି ତୃତୀୟ ଖଣ୍ଡ ପ୍ରକାଶ ପାଇଥିଲା ୨୦୦୫ ମସିହା, ବସନ୍ତ ପଞ୍ଚମୀ ଦିନ। ତାହାର ଦୀର୍ଘ ୧୫ ବର୍ଷ ପରେ, ଆଉ ଗୋଟିଏ ବସନ୍ତ ପଞ୍ଚମୀର ମାତ୍ର ତିନି ଦିନ ପରେ, ଫେବୃଆରୀ ଦୁଇ ତାରିଖ ଦିନ ତାଙ୍କର ବିୟୋଗ ଘଟିଲା।

ସେତେବେଳେ ଏହାର ପ୍ରକାଶକ ଥିଲେ ଭୁବନେଶ୍ଵରର ‘ଫିନିକ୍ସ ପବ୍ଲିକେଶନ୍ସ’। ପ୍ରାପ୍ତିସ୍ଥାନ ଥିଲା ଡି- ୫/୧, ୟୁନିଟ୍-୯ ଫ୍ଲାଟ୍। ସେତେବେଳେ ସେହି ସରକାରୀ ଘରେ ରହୁଥିଲେ କବି ରବି ସିଂ। ପରେ ସେ ଘର ବଦଳାଇ ଚାଲିଗଲେ ଛଅ ନମ୍ବରକୁ। ଶେଷରେ କିନ୍ତୁ ତାଙ୍କର ବିୟୋଗ ଘଟିଲା ତାଙ୍କର ସେହି ପୁରୁଣା, କଟକ ସହରର ଖପୁରିଆ ଲେବର କଲୋନୀ ଘରେ। ତା’ର ଆହୁରି ଅନେକ ଦିନ ପୂର୍ବରୁ ସେ କିନ୍ତୁ ରହୁଥିଲେ, କଟକର ରାଜା ବଗିଚା ଲେବର କଲୋନୀରେ।

‘ନିଃସଙ୍ଗ ପଦାତିକ’ର ପ୍ରଥମ ଖଣ୍ଡ ପରି, ଏ ଖଣ୍ଡଟିର ପ୍ରଚ୍ଛଦ ମଧ୍ୟ ଆଙ୍କିଛନ୍ତି ସୁଖ୍ୟାତ ଶିଳ୍ପୀ ଅସୀମ ବସୁ।

କବି ରବି ସିଂ ଏହାକୁ ଉତ୍ସର୍ଗ କରିଛନ୍ତି “ମହାନ୍ ଚୀନ୍ ଜନଗଣତାନ୍ତ୍ରିକ ସମାଜବାଦୀ ମହାବିପ୍ଳବର ମହାନାୟକ ତଥା ତୃତୀୟ ବିଶ୍ବର ‘ଲେନିନ୍’ କମ୍ରେଡ୍ ମାଓ ସେ-ତୁଙ୍ଗ୍ ଙ୍କ ଲୋହିତ ସ୍ମୃତିରେ ବେଦି ମୂଳେ…”। କବିତାରେ କରାଯାଇଥିବା ସେହି ଉତ୍ସର୍ଗର ପ୍ରଥମ ଦୁଇ ଧାଡ଼ି ହେଉଛି-

“କମ୍ରେଡ୍ ମାଓ, ତମେ ଏ ଯୁଗର ମହାନ୍ ଲେନିନ୍ ନେତା
ସର୍ବହରାର ଲଢୁଆ ବିବେକ ତମେ ଆମ ଲାଲ୍ ଗୀତା।”

ସେହି ଉତ୍ସର୍ଗରେ କବି କିଛି ନିଜ କଥା ବି ଲେଖିଛନ୍ତି। ତାଙ୍କ ନିଜ ଭାଷାରେ- ଚିନ୍ତନ ହେଉଛି ତାଙ୍କର ଲାଲ୍ ସେନା। କାବ୍ୟ ତାଙ୍କର ଲାଲ୍ ବାନା। କବି ଭାବରେ ନିଜର ପରିଚୟ ଦେବାକୁ ଯାଇ ସେ କହିଛନ୍ତି-

“ନାମ ‘ରବି ସିଂ’ ଭୀରୁ ଭାରତର ସାମାନ୍ୟ ଜଣେ କବି
ଯୈାବନ ଭରି ଆଙ୍କି ଆସିଲି ଜନମୁକ୍ତିର ଛବି।
କାନଭାସ୍ ପରେ ଛାତିର ରକତ
ବୋଳି ବୋଳି କାଟି ତୂଳିକାର ପଥ
ଉଷାର କାମିନୀ କୋଳରୁ ଛଡ଼ାଇ ଆଣିଛି ପ୍ରଭାତ ରବି।
ମନ୍ଦ୍ର ନିନାଦେ ଛନ୍ଦେ ତୋଳିଛି ସକାଳର ଭୈରବୀ।”

rabisingh

ସେଇ ଉତ୍ସର୍ଗ-କବିତାରେ କବିଙ୍କର ନିଜ ଜୀବନ ପ୍ରତି କାରୁଣ୍ୟ ଅଛି,ଆଉ ଅଛି ବି ଅନ୍ୟମାନଙ୍କର ଜୀବନ ପ୍ରତି କରୁଣା-ଦୃଷ୍ଟି। କବି କହିଛନ୍ତି-

“ଯେଉଁ ଦେଶେ କବି ଜନ୍ମ ଲଭିଛି
ଯେଉଁ ପରିବେଶେ ଜୀବନ ବିତୁଛି
କୁତ୍ସିତ ମୋର ଶତ୍ରୁ କପାଳେ ନଜୁଟୁ କଦାପି ତାହା
ଫୁଟିବା ଆଗରୁ ଫୁଲ ଏଠି ଝଡ଼େ
ଜନ୍ମ ଆଗରୁ ପ୍ରାଣବାୟୁ ଉଡ଼େ
ଅଜଗର ସମ ଫୁଲି ଫୁଲି ଉଠେ
ମରଣର ନୀଳ ବାହା।”

କିନ୍ତୁ ଏପରି ଜୀବନ ସତ୍ତ୍ୱେ, ଏତେ ଚଞ୍ଚଳ ସ୍ଵର୍ଗବାସ ଚାହି ନଥିଲେ କବି। କାରଣ ତା’ ଉପରେ ତାଙ୍କର ବିଶ୍ବାସ ନଥିଲା। ତେଣୁ ଏ ଦୁନିଆରେ ଜିଇରହି, କମ୍ରେଡ୍ ମାଓଙ୍କର ସବୁଋଣ ଶୁଝି ଦେବାକୁ ସେ ଚାହିଥିଲେ। ସେଥିପାଇଁ ସେହି ଉତ୍ସର୍ଗ-କବିତାରେ କହିଥିଲେ-

“କାନ୍ଦେ ମୋ ଆଗେ ଭାରତ ଧରଣୀ
କମ୍ରେଡ୍ ମାଓ ରହିଗଲି ଋଣୀ
ଏତେ ଚଞ୍ଚଳ ଚାହେନା ସ୍ବର୍ଗବାସ,
ସ୍ବର୍ଗରେ ମୋର ନାହିଁ ମୋଟେ ବିଶ୍ବାସ।
ଦେଖିବାକୁ ଚାହେ ଶ୍ରେଣୀର ବିଲୟ, ରାଷ୍ଟ୍ର ବିଲୟ ଛବି,
ସର୍ବହରାର ରାଷ୍ଟ୍ରଶକ୍ତି, ମୁଁ’ ତା’ ବିନ୍ଧାଣି, କବି
ସେଥିପାଇଁ ମୋର ଚିନ୍ତାର ଲାଲ୍ ସେନା
ଯଉବନ ଭରି ଉଡ଼ାଇ ଆସିଲା କାବ୍ୟର ଲାଲ୍ ବାନା।”

ପରିଣତ ବୟସରେ, ଆତ୍ମଜୀବନୀର ଏଇ ତୃତୀୟ ଖଣ୍ଡର ପ୍ରକାଶ କାଳରେ, ଆଜିଠୁ ପ୍ରାୟ ପନ୍ଦର ବର୍ଷ ତଳେ, ସେଇଥିପାଇଁ ସେ କହିଥିଲେ- ଏ ସଂଗ୍ରାମକୁ ଅଧାରେ ରଖି ସେ ଏ ଦୁନିଆରୁ ଚାଲିଯିବାକୁ ଚାହାନ୍ତି ନାହିଁ। ଯଦି ବି ଦୈବାତ୍ ଦିନ ସରିଯାଏ, ତେବେ ସେ ତାଙ୍କର ଏହି ଚିରବାଞ୍ଛିତ ଲକ୍ଷ୍ୟ ହାସଲ ପାଇଁ, ଆଗାମୀ କବି ଓ ବିପ୍ଳବୀଙ୍କ ସାଧନାର ଉଦୟରାଗକୁ ଅପେକ୍ଷା କରିବାକୁ ଚାହାନ୍ତି।

ସେଥିପାଇଁ ଏହି ଉତ୍ସର୍ଗ-କବିତାର ଶେଷ ଧାଡ଼ିଗୁଡ଼ିକରେ ସେ କହିଛନ୍ତି-

“ମରିନାହାନ୍ତି ଶୋଷକର ଦଳ, ସ୍ବଦେଶୀ-ସତ୍ୟକାମ
ୟାଙ୍କୁ ଛାଡ଼ି ମୁଁ ଯଦି ମରି ଯାଏ, ହେବି ସିନା ବେଇମାନ। ଦ୍ଵିଗୁଣିତ ତେଜେ ତେଣୁ ମୁଁ ଜଳୁଛି
ମରଣକୁ ନିତି ଚରଣେ ଦଳୁଛି
ଅଜେୟ ଗରିଲା ପରି,
ଏହାରି ଭିତରେ ଯଦି ଦୈବାତ୍ ଦିନ ମୋର ଯାଏ ସରି, ତା’ହେଲେ ରହିବି କରି ଅପେକ୍ଷା ପୂର୍ବ ଗଗନ ଭାଲେ
ଆଗାମୀ କବି ବିପ୍ଳବୀ ସାଧନାରେ।”

ଆଜି କବି ରବି ସିଂ ଙ୍କ ବିୟୋଗରେ, ଓଡ଼ିଆ ସାହିତ୍ୟରେ ବିପ୍ଳବର ଶେଷସ୍ବରଟି ମରିଗଲା ବୋଲି କୁହାଯାଉଛି। କିନ୍ତୁ କବି ଯେହେତୁ ଆମ ସାହିତ୍ୟର ପୂର୍ବାଶାରେ ଆଗାମୀ ବିପ୍ଳବୀ ସାଧକଙ୍କ ଉଦୟର ଅଭିଳାଷୀ, ସେହେତୁ, ଆଗାମୀ ଦିନରେ ଆମେ ହୁଏତ ଆମ ସାହିତ୍ୟରେ ବିପ୍ଳବର ନୂଆ ସ୍ବର ଶୁଣିବାକୁ ପାଇବୁ !

About Editor in chief

Ashok Palit has completed his graduation from Upendranath College Soro, Balasore and post graduation from Utkal University in Odia Language and literture.. He has also carved out a niche for himself as a scribe of eminence after joining the profession in 1988. He is also an independent media production professional. He brings loads of experience to Advanced Media, Ashok Palit as a cineaste has been active in film criticism for over three decades. As a film society activist, he soared to eminence for his profound commitment to the art film appreciation and aesthetics of cinema. His mode of discourse is often erudite but always lucid and comprehensible marked by a perfect acumen so rare in the field. A film aesthete with an immense fond of critical sensibilities, he wrote about growth and development of odia cinema in New Indian Express, The Times of India, The Hindustan Times, The Asian Age and Screen. He has been working as an Editor for Cine Samaya from 2002-2004.. He had made solid contribution on cinema in many odia Dailies and weekly such as Samaj, Prajatantra, Dharatri, Samaya, Satabadi, and weekly Samaya.

Leave a Reply

Your email address will not be published.

x

Check Also

Fresh Low Pressure Over Bay Of Bengal Later Next Week

Bhubaneswar:21/10/21: While the India Meteorological Department (IMD) has forecast dry weather for six days from October 22, senior meteorologist Jason Nicholls on Thursday tweeted about the possibility of the formation ...