| ସତ୍ ସାହିତ୍ୟ-ସର୍ଜକ କାହିଁକି ଲେଖେ ? ||
ସତ୍ ସାହିତ୍ୟ-ସର୍ଜକ କାହିଁକି ଲେଖେ ? କାହିଁକି ଲେଖେ ସତରେ ? ଅମରତ୍ବ, ପ୍ରେମ,
ଜନକଲ୍ୟାଣ, ଯଶ, କାମ, ଅର୍ଥ, ପାଠକ-ମନୋରଂଜନ — କୋଉଥିପାଇଁ ଲେଖେ ?
ଲେଖକ କଣ ଭାବେ ଗୋଟେ ନୂଆ ପୃଥିବୀ ଗଢିଦେବ ? ନେରୁଦା ତ କହିଦେଲେ :
“I have no wish to change my planet.” !
ଅନୁଭୂତି, ଅଭିଜ୍ଞତା, ଉପଲବ୍ଧି, କଳ୍ପନା, ପ୍ରେରଣା ଇତ୍ୟାଦି ପ୍ରତି ମଣିଷର ଥାଏ,
ଲେଖକ ଓ ଅନ୍ୟାନ୍ୟ ସର୍ଜନ-ଶିଳ୍ପୀର ବି ଥାଏ; ହୁଏତ ମହିମାର ପ୍ରାପ୍ତି ବି ହଠାତ୍
ଆସିଯାଇପାରେ I ଏଥିରୁ ଉତ୍ତର ମିଳୁନି ପ୍ରଶ୍ନର : ସାହିତ୍ୟ-ସର୍ଜକ କାହିଁକି ଲେଖେ ?
ନିରବଧି କାଳରେ ବିପୁଳ ପୃଥବୀରେ କେବେ କେଉଁଠି ଜନ୍ମିବାକୁ ଥିବା ଜଣେକେହି
‘ସମାନଧର୍ମା’ ପାଇଁ ଲେଖେ ?
ଏମିତି ନୁହେଁ ତ : ଆପଣାକୁ ଏକ ଅପୂର୍ବ ସନ୍ତୋଷ / ପରିତୋଷ / ସୁଖ ମିଳେ ବୋଲି
ଲେଖେ ? ମନସ୍ତତ୍ବ ବି କହେ : ଯାହା ପରିତୋଷ ଦିଏ ତାହା ଅଧିକ ଅଧିକ କରିବାକୁ
ମନ ହୁଏ I
ସଂସ୍କୃତରେ ଗୋଟିଏ ଅତି ସରଳ ‘ସୁଭାଷିତ’ ଅଛି :
आत्मनः परितोषाय कवैः काव्यं तथापि तत्
स्थापितो देहली दीप समं अन्योपकारकं II
ଭାବାର୍ଥ ଏଇଆ : କବି ‘ଆତ୍ମ-ପରିତୋଷ’ ପାଇଁ ହିଁ କବିତା ଲେଖେ (ତହିଁରେ ତାକୁ
ସର୍ଜନ-ସୁଖ ମିଳେ) I ହଁ, ଏମିତି ହୋଇପାରେ : ଦେହଳୀ / ଦୁଆରମୁହଁରେ ଦୀପଟିଏ
ଜଳିଲେ ପାଖପଡିଶାର ବି ହୁଏତ ବାହାର-ଭିତର କିଛି ଆଲୁଅ ପାଇପାରେ, ହୁଏତ
ଅନ୍ୟମାନଂକର ବି କିଛି ଉପକାର ହୋଇପାରେ I କିଂତୁ ମୂଳତଃ କବି ‘ଆତ୍ମ-ପରିତୋଷ’
ପାଇଁ ହିଁ କବିତା ଲେଖେ I [ ‘କବି’ ଶବ୍ଦ ଭିତରେ ସବୁ ସତ୍ ଲେଖକ ଅନ୍ତର୍ଭୁକ୍ତ ] I
ମୁଁ ଚିଂତକ ନୁହେଁ, ତେଣୁ ଜାଣେନା | ଆପଣମାନେ ଚିନ୍ତା କରନ୍ତୁ III